ମୁମ୍ଵାଇ ୦୪।୧୧: ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନଙ୍କର ଝିଅ ରାଶା ଥଡାନି ଏବେ ଚର୍ଚ୍ଚାରେ । ମା’ଙ୍କ ପଦାଙ୍କ ଅନୁକରଣ କରି ରାଶା ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଆଗାମୀ ଫିଲ୍ମ ‘ଆଜାଦ୍’ରେ ୧୯ ବର୍ଷୀୟ ରାଶାଙ୍କୁ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ହିରୋ ସାଜିବେ ଅଭିନେତା ଅଜୟ ଦେବଗନ୍ଙ୍କ ଭଣଜା ଅମନ ଦେବଗନ୍ । ରାଶାଙ୍କ ପରି ଅମନ ମଧ୍ୟ ‘ଆଜାଦ୍’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।
ଫିଲ୍ମରେ ଅଜୟ ଦେବଗନ୍ଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ଆଡ୍ଭେଞ୍ଚର ଫିଲ୍ମ ହୋଇଥିବାବେଳେ ନିକଟରେ ଦୀପାବଳି ଅବସରରେ ଫିଲ୍ମର ଫାଷ୍ଟ ଲୁକ୍ ଜାରି ହୋଇଥିଲା । ସେହି ପୋଷ୍ଟରରେ ଅଜୟଙ୍କର ମୁହଁ ଦେଖାଯାଉନଥିବାବେଳେ ସେ ଘୋଡ଼ାରେ ବସିଥିବା ନଜର ଆସିଛନ୍ତି । ଆସନ୍ତାବର୍ଷ ଜାନୁଆରୀ ମାସରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ରାଶା ଥଡାନି ମୁମ୍ବାଇର ଧୀରୁଭାଇ ଅମ୍ବାନି ସ୍କୁଲରେ ଶିକ୍ଷା ଶେଷ କରିଛନ୍ତି । ପିଲାଦିନରୁ ଅଭିନେତ୍ରୀ ହେବା ତାଙ୍କର ଏକମାତ୍ର ସ୍ୱପ୍ନ ଥିଲା।
ସେଥିଯୋଗୁ ସ୍କୁଲ ଶିକ୍ଷା ସରିବା ମାତ୍ରେ ସେ ଡେବ୍ୟୁ ଫିଲ୍ମ ଲାଗି ପ୍ରସ୍ତୁତି ଚଳାଇଥିଲେ । ତାଙ୍କୁ ଅନେକ ଆଡୁ ଫିଲ୍ମ ଲାଗି ଅଫର ଆସିଥିଲା। କିନ୍ତୁ ସେ ଏକ ପିରିୟଡ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଛନ୍ତି । ଏହି ଫିଲ୍ମ ଲାଗି ବିଧିବଦ୍ଧ ଭାବେ ଅଡିସନ୍ ମଧ୍ୟ ଦେଇଥିବା କଥା କହିଛନ୍ତି ରାଶା । ସୋସିଆଲ୍ ମିଡିଆରେ ତାଙ୍କର ୧.୨ ନିୟୁତ ଫଲୋଅର୍ସ ଅଛନ୍ତି ।